ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଖବର ଆସି ପହଞ୍ଚିଛି । ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିୟା ପଞ୍ଚାୟତ ଅଲିମାହା ଗ୍ରାମ ସୂପାରିକିଆ ସାହିର ଜମେଶ୍ୱର ପ୍ରଧାନଙ୍କ ପୁଅ ସେମ ପ୍ରଧାନ(୧୮) ବୋଲି ଜଣାପଡିଛି । ତାଙ୍କ ଘର ଗରିବ ଶ୍ରେଣୀରୁ ହୋଇଥିବାରୁ । ସେମ ପ୍ରଧାନ(୧୮) ଗତ ଫେବୃଆରୀ ମାସରେ ପରିବାର ପ୍ରତିପୋଷଣ ପାଇଁ ତାଙ୍କ ସାଙ୍ଗ ସାଥିମାନଙ୍କ ସହ କେରଳ ରାଜ୍ୟକୁ କାମ କରିବାକୁ ଯାଇଥିଲେ । କେରଳ ରାଜ୍ୟର ଆଲୁବା ସହରରେ Transport/Export pvt.Ltd ଏକ ଘରଇ କମ୍ପାନୀରେ ଲୋଡିଂ ଏବଂ ଅନ୍ଲୋଡିଂ କାମ କରୁଥିଲେ । ସେହି କମ୍ପାନୀରେ କାମ ଅଧିକ ଭିଡ଼ ହେବାରୁ ରବିବାର ୨୦ ତାରିଖ ଦିନ ତାଙ୍କ ସାଙ୍ଗ ଫିଲିପ ପ୍ରଧାନଙ୍କ ସହ କୋଇକଡ଼ ଜିଲ୍ଲା ୱାଡ଼ାକାରା ସ୍ତିତ ୱାଡ଼ାୟମ ବ୍ଲୁ ମେଟାଲ୍ସ କମ୍ପାନୀକୁ ଯାଉଥିଲେ । ତାଙ୍କ ସାଥି ଫିଲିପ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଆଲୁବାରୁ ୱାଡ଼ାକାରାକୁ ସିଧା ଯିବାକୁ ଟ୍ରେନ ନ ମିଳିବାରୁ ସେମାନେ ତ୍ରିଶୁର ଷ୍ଟେସନରୁ ୱାଡ଼ାକାରାକୁ ଯାଉଥିବା ସମୟରେ ଟ୍ରେନର ପାହାଚ ନିକଟରେ ଛିଡା ହୋଇଥିବା ବେଳେ କୌଣସି କାରଣରୁ ତାଙ୍କର ସର୍ଣ୍ଣର୍ ରେଳ ଷ୍ଟେସନ ନିକଟରେ ତାଙ୍କ ଅସାବଧାନତା ବଶତଃ ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ତ୍ରିସୁର୍ ରେଳ ବାଇ ପୁଲିସ ଶବ ଜବତ କରି ଅଧିକ ତଦନ୍ତ କରିବା ପରେ ଶବ ବ୍ୟବଛେଦ ପାଇଁ ପରିବାରକୁ ହସ୍ତାନ୍ତର କରିଥିବା କହିଛନ୍ତି । ଏକ ଦୁଃଖର ବିଷୟ ଏହାକି ଶବକୁ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହାୟତା କରିନଥିବା ବେଳେ ତାଙ୍କ ସାଙ୍ଗ ଫିଲିପ ପ୍ରଧାନ ନିଜସ୍ବ ଅର୍ଥ ଖର୍ଚ୍ଚ କରି ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ଅଲିମାହା ଗ୍ରାମକୁ ବା ନିଜ ଭିଟା ମାଟିକୁ ଶବ ଆଣୁଥିବା ସୂଚନା ଦେଇଛନ୍ତି । ସେମ ପ୍ରଧାନ ତାଙ୍କ ପରିବାର ପାଇଁ ଜଣେ ହିଁ ରୋଜଗାରିଆ ପୁଅ ଥିଲା l ଆମ ପରିବାର ପ୍ରତିପୋଷଣ ନିମନ୍ତେ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରୁଛନ୍ତି ବୋଲି ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଏହି ଭଳି ଦୁଃଖଦ ଘଟଣାରେ ଅଲିମାହା ଗ୍ରାମର ଆଖପାଖ ଗାଁ ମାନଙ୍କରେ ଶୋକର ଛାୟା ଖେଳିଯାଇଛି । ଦାରିଙ୍ଗବାଡି ଅଞ୍ଚଳରୁ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନିଜ ଅଞ୍ଚଳରେ କାମ ନମିଳିବା କାରଣରୁ ଶ୍ରମିକମାନେ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଭାବେ ବାହାର ରାଜ୍ୟକୁ ଯାଉଛନ୍ତି । ଏହି ଘଟଣା ପରେ ମୃତ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।