ଶେଷ ଦିନରେ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ମେରୁ ଯାତ୍ରା ସହିତ ଶେଷ ହେଲା l ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମେଳରେ ହିଞ୍ଜିଳିକାଟୁ ୨୧ଦିନିଆ ବଡ ପୁଞ୍ଜା ଓ ସାନପୁଞ୍ଜା, ପିତଳରେ ୧୮ ଦିନିଆ ଦଣ୍ଡ ଦଳ ଓ ଶେରଗଡ଼ ବ୍ଳକର କୁଲାଗଡ ସମେତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ମେରୁ ଯାତ୍ରା । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ  କୁଲାଗଡରେ ୧୭୦୦ ଦଣ୍ଡୁଆକୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ ହିଞ୍ଜିଳିକାଟୁ ଓ ପିତ୍ତଳ କାଳୀ ମନ୍ଦିରରେ ମେରୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମଧ୍ୟରେ ଗଞ୍ଜାମର ଦଣ୍ଡନାଚ ସ୍ଵତନ୍ତ୍ର ଅଧିକାର ରହିଛି । ଏହି ନାଚରେ ଅଂଶ ଗ୍ରହଣ କରୁଥିବା ଭକ୍ତମାନଙ୍କୁ ଦଣ୍ଡୁଆ କୁହାଯାଏ । ସେମାନେ ୨୧ଓ୧୩ ଦିନିଆ ଦଣ୍ଡ ଦଳରେ କୋଠାର ବ୍ରତ ପାଳନ କରନ୍ତି । ନିଜ ଘର ଛାଡ଼ି ୨୧ଦିନ ବାହାରେ ରୁହନ୍ତି । ଦଣ୍ଡୁଆ ସହିତ ମାନସିକ ଧାରୀଙ୍କ ଘର ସମ୍ମୁଖରେ ଧୁଧୁ ଖରା ଧୂଳି ଦଣ୍ଡ, ଅଗ୍ନିଦଣ୍ଡ ଓ ପାଣି ଦଣ୍ଡ କରିଥାନ୍ତି । ଦିନରେ ଥରେ ମଧ୍ୟରାତ୍ରିରେ ଅକଟା, ଅବଟା, ଅଫୁଟା କେବଳ ଅନ୍ନ ଡାଲି ପ୍ରସାଦ ଭାବେ ଗୋଟେ ଥର ଖାଇ ବ୍ରତ ପାଳନ କରିଥାଆନ୍ତି । ଗଞ୍ଜାମରେ ପଣା ସଂକ୍ରାନ୍ତିକୁ ମେରୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ l ଏହି ଦିନ ଦଣ୍ଡନାଚର ଅନ୍ତିମ ଦିନ ହୋଇଥାଏ । ମା କାଳୀଙ୍କ ନିଜସ୍ଵ ମନ୍ଦିରରେ ଥିବା ମେରୁ କୁଣ୍ଡରେ  ବେଲ କାଠରେ ତିଆରି ମେରୁ ଖୁଣ୍ଟରେ ମୁଖ୍ୟ ପାଟଭୁକ୍ତାଙ୍କୁ ଓଲଟା ଝୁଲାଇ ତଳେ ଥିବା ମେରୁ ତଥା ଅଗ୍ନିକୁଣ୍ଡରେ ଝୁଣା ପକାଯାଇଥାଏ l ପାଟଭୁକ୍ତାଙ୍କ ନାକରୁ ୩ବୁନ୍ଦା ରକ୍ତ ପଡିବା ପରେ ଦଣ୍ଡନାଚ ସମାପ୍ତ ହୋଇଥାଏ । ଦଣ୍ଡନାଚର ଅନ୍ତିମ ଦିନକୁ ମେରୁ ଯାତ୍ରା ଭାବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ । ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ, ଖଣ୍ଡରା, ସମରଝୋଳ, ରାଳବ, ଦୂର୍ବନ୍ଧ, ପୋଚିଲିମାରେ ମଧ୍ୟ ମେରୁ ଯାତ୍ରା ଅନୁଷ୍ଠିତ ହେବା ସହିତ ଦଣ୍ଡ ନାଚ ମଧ୍ୟ ଶେଷ ହୋଇଛି ।