ଅନୁସନ୍ଧାନ ଭାରତ(ବ୍ୟୁର): ଆର୍ଥିକ ଓ ସାମାଜିକ ସମାନତା ବିନା ରାଜନୈତିକ ସ୍ବାଧୀନତା ମୂଲ୍ୟହୀନ । ପ୍ରାୟ ଏକ ଶତାବ୍ଦୀ ପୂର୍ବର ରକ୍ଷଣଶୀଳ ସମାଜରେ ଉଚ୍ଚବର୍ଗର ଶତ୍ରୁ ବିବେଚିତ ହେଉଥିବା ସତ୍ତ୍ବେ ବାବାସାହେବ ଭୀମରାଓ ଆମ୍ବେଦକର ସମସ୍ତ ସାମାଜିକ ଅନ୍ଧବିଶ୍ବାସ ଓ କଟକଣାକୁ ଭୃକ୍ଷେପ ନ କରି ଜାତି-ଧର୍ମ ନିର୍ବିଶେଷରେ ସମାବେଶୀ ଅଭିବୃଦ୍ଧି ପାଇଁ ଯେଉଁ ଲଢ଼େଇ କରିବାର ସାହସ ଦେଖାଇଥିଲେ ସେଥିପାଇଁ ଏ ଜାତି କୃତଜ୍ଞ । ବିବିଧତାର ଏହି ବିଶାଳ ଭୂଖଣ୍ଡରେ ସମସ୍ତଙ୍କୁ ସୁହାଇବା ପରି ଏକ ଶ୍ରେଷ୍ଠ ସମ୍ବିଧାନ କୋଟିକୋଟି ଦେଶବାସୀଙ୍କୁ ଭେଟିଦେବା ଏକ ଅନନ୍ୟ ଉପଲବ୍ଧି । ଆମ୍ବେଦକର ନ ଥିଲେ ଏ ଦେଶର ଆତ୍ମା ଠିକ୍ ଭାବେ ଦେଶର ସମ୍ବିଧାନରେ ପ୍ରତିଫଳିତ ହୋଇ ନ ଥା’ନ୍ତା ବୋଲି ମଙ୍ଗଳବାର କଂଗ୍ରେସ ଭବନରେ ପିସିସି ପକ୍ଷରୁ ଆୟୋଜିତ ବାବାସାହେବଙ୍କ ୧୩୫ତମ ଜୟନ୍ତୀରେ ମତପ୍ରକାଶ ପାଇଛି । ମହାତ୍ମା ଗାନ୍ଧୀ ଓ ନେହରୁଙ୍କ ଆଗ୍ରହ କ୍ରମେ ତାଙ୍କ ପରି ଜଣେ ସମ୍ବିଧାନ ବିଶାରଦଙ୍କୁ ଦେଶର ସମ୍ବିଧାନ ପ୍ରଣୟନର ଚିଠା ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଯିବା ସହ ତାଙ୍କୁ ସ୍ବାଧୀନ ଭାରତର ପ୍ରଥମ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ଭଳି ଧ୍ରୁବ ସତ୍ୟକୁ ବିଜେପି ନେତୃତ୍ବାଧୀନ ସଂଘ ପରିବାର ସାମାଜିକ ଗଣମାଧ୍ୟମରେ ବିକୃତ କରିବାକୁ ଚେଷ୍ଟା କରୁଛି । ଏହାକୁ ତୀବ୍ର ବିରୋଧ କରି ପ୍ରକୃତ ସତ୍ୟ କ’ଣ, ତାହା ଲୋକଙ୍କୁ କଂଗ୍ରେସ ନେତା ଓ କର୍ମୀମାନେ ବୁଝାନ୍ତୁ ବୋଲି ଆହ୍ବାନ ଦିଆଯାଇଛି । ଜାତିଭେଦ ପ୍ରଥାର ବିଲୋପ, ସାମାଜିକ ନ୍ୟାୟ, ମହିଳା ଶସକ୍ତୀକରଣ ତଥା ଧର୍ମନିରପେକ୍ଷତା ଆଦି ସ୍ଥୂଳ ବିଚାରରେ ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରେ ସହମତି ରହିଥିବା ବେଳେ କେତୋଟି ସୂକ୍ଷ୍ମ ପ୍ରକ୍ରିୟାଗତ ବୈଚାରିକ ପ୍ରଭେଦକୁ ଆଳ କରି ଗାନ୍ଧୀ-ନେହରୁ ଦୁହେଁ ଆମ୍ବେଦକରଙ୍କ ଶତ୍ରୁ ଥିଲେ ବୋଲି ପ୍ରଚାର କରାଯିବା ପରିତାପର ବିଷୟ ।
ଦେଶରେ ଏକ ସମାନତା ଭିତ୍ତିକ ସମାଜ ଗଠନ ଉଭୟଙ୍କର ଧ୍ୟେୟ ହୋଇଥିବା ବେଳେ ଏ ନେଇ ସମସ୍ତ ଅପପ୍ରଚାରକୁ ଜବାବ ଦିଆଯିବା ଦରକାର ବୋଲି ବାବାସାହେବଙ୍କ ଜୟନ୍ତୀରେ କଂଗ୍ରେସ ପକ୍ଷରୁ ସଂକଳ୍ପ ନିଆଯାଇଛି । ହଳଧର ସେଠୀଙ୍କ ସଂଯୋଜନାରେ ଆାୟୋଜିତ ଏହି ରାଜ୍ୟସ୍ତରୀୟ ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ ବାବା ସାହେବଙ୍କର ସମ୍ବିଧାନ ଅଛି ବୋଲି ଆମ ଦେଶର ପରିଚୟ ଅଛି । ସମ୍ବିଧାନ ଅଛି ବୋଲି ନ୍ୟାୟ ଅଛି । ମହାଭାରତର ରଚୟତା ବେଦବ୍ୟାସ, ରାମାୟଣର ବାଲ୍ମିକୀଙ୍କ ଦାନ ଯେପରି ଠିକ ସେପରି ଯୋଗଜନ୍ମା ବାବା ସାହେବଙ୍କର ସମ୍ବିଧାନ ମନୁଷ୍ୟ ଜାତି ପାଇଁ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସି ଆଦି ସମସ୍ତ ଧର୍ମରେ ଶାନ୍ତି, ମୈତ୍ରୀ ଓ ନ୍ୟାୟ ମୂଳମନ୍ତ୍ର କିନ୍ତୁ ଆଜିର ବିଜେପି ସରକାର ଧର୍ମ ନାମରେ ବିଭେଦ ସୃଷ୍ଟିକରି ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରିଛି । ବର୍ତ୍ତମାନ ଗୋଟିଏ ସ୍ଲୋଗାନ ଚାଲିଛି ହମକୋ ଚାହିୟେ ଆଜାଦି ସବକୋ ଚାହିଏ ଆଜାଦି । ଏହି ସ୍ବର ଉଠିବାର ଆବଶ୍ୟକତା କଣ ପଡୁଛି । କାରଣ ସମ୍ବିଧାନରେ ଦିଆଯାଇଥିବା ସ୍ବାଧୀନତା ଆଜି ସଂକଟରେ । ସରକାର, ଲୋକସଭା କିମ୍ବା ବିଧାନସଭାରେ ଆଲୋଚନା ହେବାକୁ ମଧ୍ୟ ଦେଉନାହାନ୍ତିବ । ଯାହା ଗଣତନ୍ତ୍ରର ମୌଳିକ ଧାଞ୍ଚାର ବିରୋଧ କରୁଛି । କଂଗ୍ରେସ ପାର୍ଟି କହୁଛି, ରାହୁଲ ଗାନ୍ଧୀ କହୁଛନ୍ତି ଭୟ କରନା । କିଏ ନିଜ ଚାକିରି ହରାଇବା ପାଇଁ ଭୟ କରୁଛି, କିଏ ବ୍ୟବସାୟ ବନ୍ଦ ହେବା ଆଶଙ୍କା କରୁଛି, କିଏ ଗିରଫଦାରୀର ଭୟ କରୁଛି ଅବା କିଏ ଅପମାନ ଲାଞ୍ଛନାର ଭୟ କରୁଛି । ଏଭଳି ଭୟର ବଶବର୍ତ୍ତୀକରି ଆମ୍ଭଙ୍କୁ ମାନସିକ ଗୋଲାମ କରି ରଖାଯାଇଛି । ଯେତେବେଳେ ଗୋଟିଏ ପରେ ଗୋଟିଏ ସାମ୍ବାଦିକଙ୍କୁ ଗିରଫ କରାଯାଉଥିଲା l କିଏ ସରକାର ବିରୋଧରେ ପାଟି ଖୋଲିଲେ ତାହା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନିର୍ଯ୍ୟାତନା ଦିଆଯାଉଥିଲା । ସେତେବେଳେ ରାହୁଲ ଗାନ୍ଧୀ ସମାଜକୁ ଭୟମୁକ୍ତ କରିବାପାଇଁ ସମ୍ବିଧାନୁଯାଇ ନିଜ ଅଧିକାରର ଶକ୍ତି ଜାଣିବାପାଇଁ ଭାରତ ଯୋଡ ଯାତ୍ରା କାଶ୍ମିରଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରି ଦେଶର ଜନତାଙ୍କୁ ସଚେତନ କରାଇଥିଲେ । ଯାହା ଫଳବତୀ ମଧ୍ୟ ହୋଇଥିଲା । ବର୍ତ୍ତମାନ ୧୯୪୨ ମସିହାର କରବା ମର ସ୍ଥିତି ଆସିଛି । ରାହୁଲ ଗାନ୍ଧୀ ନିଜେ ସମ୍ବିଧାନ ଧରି ସାଧାରଣ ଜନତାଙ୍କୁ ସମ୍ବିଧାନରେ ପ୍ରଦତ୍ତ ନିଜ ଅମାପ ଅଧିକାର ବିଷୟରେ ସଚେତନ କରିବାକୁ ଅପ୍ରାଣ ଉଦ୍ୟମ କରୁଛନ୍ତି । ସମ୍ବିଧାନରେ ବାବା ସାହେବ ଆମ୍ବେଦକର ସାଧରଣ ନାଗରିକଙ୍କ ଅଧିକାର ଓ ନ୍ୟାୟ ପାଇଁ ଶକ୍ତିଶାଳୀ ଅସ୍ତ୍ର ସବୁ ସଜ୍ଜିତ କରିଛନ୍ତି । ଦୁଃଖର କଥା ଦେଶର ଯୁବ ଓ ଛାତ୍ର ସମାଜ ଏସବୁ ବୁଝିବାକୁ ଚେଷ୍ଟା କରୁନାହାନ୍ତି । ଯେଉଁଦିନ ଭାରତର ଯୁବ ସମାଜ ନିଜ ସାମ୍ବିଧାନିକ ଅଧିକାର ପ୍ରତି ସଚେତନ ହେବ ତେବେ ଯାଇ ସମସ୍ତେ ଭୟମୁକ୍ତ ହୋଇ ଦେଶରେ ସ୍ବାଧୀନ ଭାବରେ ବଞ୍ଚିପାରିବେ ଏବଂ ବାବା ସାହେବଙ୍କ ନ୍ୟାୟ, ଅଧିକାର, ସମାନତାର ସ୍ବପ୍ନ ଶାକାର ହେବ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଆମ ଦେଶର ସମ୍ବିଧାନ ପୃଥିବୀର ଏକ ଅନନ୍ୟ କୃତି । ଏହାର ପୁରୋଧା ମହାମନିଷୀ ବାବା ସାହେବ ଆମ୍ବେଦକର ଅନେକ ଦେଶର ସମ୍ବିଧାନ ବିଶ୍ଲେଷଣ କରି ଯାହା ଭାରତୀୟଙ୍କ ପାଇଁ ଉକୃଷ୍ଟ ତାହା ସମ୍ବିଧାନ ହିସାବରେ ଦେଶର ଜନତାଙ୍କ ନ୍ୟାୟ ପାଇଁ ଦାନ କରିଯାଇଛନ୍ତି । ବାବା ସାହେବଙ୍କ ଜୟନ୍ତୀ ଉତ୍ସବରେ ମାନନୀୟ ରାହୁଲ ଗାନ୍ଧୀ କେବଳ ଜୟନ୍ତୀ ସମାରୋହରେ ଏହାକୁ ସୀମିତ ନରଖି ସମ୍ବିଧାନ ଅଭିଯାନ ପ୍ରସ୍ତୁତ କରିଛନ୍ତି । ସେହି ପରିପ୍ରେକ୍ଷୀରେ ଏକ ଗଣଦୌଡ଼ ମାଧ୍ୟମରେ ସମ୍ବିଧାନ ସଚେତନା ଆରମ୍ଭ କରିଛନ୍ତି । ସମ୍ବିଧାନ ବିଷୟରେ ସଚେତନ ହୋଇ ନିଜ ଅଧିକାର ନ୍ୟାୟ ଜାଣିବାପାଇଁ ଆମକୁ ବିଭିନ୍ନ ଉପାୟରେ ଯୁବ ଏବଂ ଛାତ୍ର ଗୋଷ୍ଠିଙ୍କ ପାଖକୁ ଯାଇ ସେମାନଙ୍କୁ ସମ୍ବିଧାନର ଶକ୍ତି ବିଷୟରେ ଅବଗତ କରିବାକୁ ପଡ଼ିବ । କଂଗ୍ରେସ ନେତା ମାନେ ମଂଚାସୀ ରହି ଆମ୍ବେଦକରଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ଆଜିର ଡ. ବିଆର ଆମ୍ବେଦକର ଜୟନ୍ତୀ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଡ. ନଳିନୀ କୁମାର ମହାନ୍ତି, ଶୁଭେନ୍ଦୁ ମହାନ୍ତି, ଅଭୟ ସାହୁ, ଯଶୋବନ୍ତ ସିଂ ଲାଗୁରି, ମଧୁସ୍ମିତା ସେଠୀ, ଅମିତା ବିଶ୍ୱାଳ ପ୍ରମୁଖ ଡ. ଆମ୍ବେଦକରଙ୍କର ସାମାଜିକ, ଅର୍ଥନୈତିକ ଓ ସମାନତା ସମ୍ପର୍କରେ ଆଲୋକପାତ କରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ଡ. ଲଲାଟେନ୍ଦୁ ମହାପାତ୍ର, ଅରବିନ୍ଦ ଦାସ, ଜୟଶ୍ରୀ ପଟ୍ଟନାୟକ, ବାଙ୍କନିଧି ବେହେରା, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ମାନସ ଆଚାର୍ଯ୍ୟ, ଶଶିଭୂଷଣ ପଣ୍ଡା, ଚିନ୍ମୟ ସୁନ୍ଦର ଦାସ, ରଞ୍ଜିତ ପାତ୍ର, ଅନିମା ମିଞ୍ଜ, ଜାନକୀ ମଲ୍ଲିକ, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସୂର୍ଯ୍ୟକାନ୍ତ ଜେନା, ସଂଜୟ ମିଶ୍ର, ସନ୍ତୋଷ ଜେନା, ମୋହନ ହେମ୍ବ୍ରମ, ପ୍ରଦୀପ ମହାପାତ୍ର, ବିଭୁ ପ୍ରସାଦ ମିଶ୍ର, ନିର୍ମଳ ନାୟକ, ମାନସ ମଲ୍ଲିକ, ସୁନିତା ବିଶ୍ୱାଳ, କାର୍ତ୍ତିକ ଚନ୍ଦ୍ର ବରାଳ, ଅମିଷା ସାମନ୍ତରାୟ, ମିହିର ଆଚାର୍ଯ୍ୟ, ମୋଟରାଜ ଡୁଙ୍ଗଡୁଙ୍ଗ, ଲିଙ୍ଗରାଜ ସାହୁ, ସାଗର ପରିଡ଼ା, ସଂକୁନା କହଁର, ଖଗେଶ୍ୱର ମଲ୍ଲିକ, ଦିନବନ୍ଧୁ ଅଧିକାରୀ, ଉଷାରାଣୀ ବେହେରା, ଆଲୋକ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ବିରନ୍ଚୀ ବାରିକ, ଅପସନା ବେଗମ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । ପ୍ରଥମେ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ ପରେ କଂଗ୍ରେସ ଭବନଠାରେ ବାବାସାହେବଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ କରାଯାଇଥିଲା l ସୂଚନାଯୋଗ୍ୟ, ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ୧୪ ତାରିଖ ମଙ୍ଗଳବାର ରାଜ୍ୟର ସମସ୍ତ ଜିଲ୍ଲା ତଥା ବ୍ଲକ୍ ଓ ନଗର କଂଗ୍ରେସ କମିଟି ଆନୁକୂଲ୍ୟରେ ଏଥର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ‘ଆମ୍ବେଦକର, ସମ୍ବିଧାନ ଓ ସାମାଜିକ ନ୍ୟାୟ’ ଶୀର୍ଷକ ଆଲୋଚନା ସଭା ଆୟୋଜନ କରାଯାଇଥିବା ବେଳେ ‘ସମ୍ବିଧାନ ପାଇଁ ଗଣଦୌଡ଼’, ସ୍କୁଲ-କଲେଜସ୍ତରୀୟ ଆଲୋଚନା/ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିବା ପିସିସି ସୂତ୍ରରୁ ପ୍ରକାଶ ।