ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଓ ଝିଞ୍ଜିରିଗୁଡ଼ା ସ୍ଥିତ ହନୁମାନ ମନ୍ଦିରରେ ପ୍ରଥମ ଥର ପାଇଁ ମହାବିଷୁବ ସଂକ୍ରାନ୍ତିରେ ଶ୍ରୀ ହନୁମାନ ଜୟନ୍ତୀ ପାଳନ କରାଯାଇଛି । ପଣ୍ଡିତ ବନୋଜ କୁମାର ଶତପଥୀ, ଦଣ୍ଡପାଣି ତ୍ରିପାଠୀଙ୍କ ପୌରହିତ୍ୟରେ ମହାବୀର ହନୁମାନଙ୍କୁ ମହାସ୍ନାନ କରାଯାଇ ୧୦୮ ହନୁମାନ ଚାଳିଶା ପଠନ କରିବା ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଥିଲା । ସକାଳୁ ହନୁମାନ ମନ୍ଦିରରେ ଦର୍ଶନ କରିବା ପାଇଁ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। । ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଫଳ, ଲିଆ ଏବଂ ନବାତ ମିଶାଇ ପଣା ପ୍ରସ୍ତୁତ କରାଯାଇ ଭଗବାନଙ୍କୁ ଅର୍ପଣ କରିବା ପରେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯାଇଥିଲା । ସନ୍ଧ୍ୟା ସମୟରେ ଶ୍ରୀ ମହାବୀର ହନୁମାନଙ୍କୁ ଫୁଲମାଳରେ ସୁସଜ୍ଜିତ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥିଲା ।