ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ଗ୍ରାମରେ ମଦର ମେରୀଙ୍କ ପର୍ବ ପାଳନ ହୋଇଯାଇଛି । ପ୍ରଥମ ଦିନ ମଦର ମେରୀଙ୍କ ପର୍ବରେ ବହୁ ସଂଖ୍ୟକ ଖ୍ରୀଷ୍ଟିୟ ଶ୍ରଦ୍ଧାଳୁ ତାଙ୍କ ମାନସିକତା ପୂରଣ କରିବା ନେଇ ଏହି ମହା ଦିବ୍ୟଯଜ୍ଞରେ ଯୋଗଦେଇ ପ୍ରାର୍ଥନା କରିଥିଲେ । କଟକ ଭୁବନେଶ୍ଵର ମହାଧର୍ମ ପ୍ରଦେଶର ଆର୍ଚ୍ଚ ବିଶୋପ ଜୋହନ ବାର୍ବାଙ୍କ ପୌରୋହିତ୍ୟରେ ମହା ଦିବ୍ୟଯଜ୍ଞ ଲୋକଙ୍କ ହିତ ଉଦେଶ୍ୟରେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା ଉତ୍ସର୍ଗ କରିଥିଲେ । ତାଙ୍କ ସହିତ ସହାୟକ ବିଶୋପ ରବୀନ୍ଦ୍ର ରଣ ସିଂ ମଧ୍ୟ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ । ଭିକାରୀ ଜେନେରାଲ ଯାଜକ ପ୍ରଦର୍ଶ ଚନ୍ଦ୍ର ନାୟକ, ଚାନ୍ସଲେର ଯାଜକ ଦିବ୍ୟ ପରିଛାଙ୍କ ସମେତ ବହୁ ଯାଜକ ଦିବ୍ୟ ଯଜ୍ଞରେ ଉପସ୍ଥିତ ରହି ପ୍ରାର୍ଥନା ଉତ୍ସର୍ଗରେ ସହଯୋଗ କରିଥିଲେ । ରାଇକିଆ ଡିନରୀ ଡିନ ଅରୁଣ ଦିଗାଲ, ବାଲିଗୁଡ଼ା ଡିନରୀ ଡିନ ଅନୁଜ ପରିଚ୍ଛା, ବ୍ରାହ୍ମଣୀଗାଁ ଡିନରୀ ଡିନ ମୁକୁନ୍ଦଦେବ ବଳିଆରସିଂ, ଦାରିଙ୍ଗବାଡ଼ି ପାରିସର ମୁଖ୍ୟ ଯାଜକ କରୁଣାକର ଦିଗାଳଙ୍କ ସମେତ ପର୍ତ୍ତମାହା ପାରିଶର ଇନ୍ଚାର୍ଜ ଯାଜକ ସୁଶାନ୍ତ ପ୍ରଧାନ ପ୍ରମୁଖ ପ୍ରାର୍ଥନା କ୍ରିୟାରେ ଉପସ୍ଥିତ ରହି ଯଜ୍ଞ ଉତ୍ସର୍ଗ କରିଥିଲେ । ଯାଜକ ରାଜୀବ ବଳିୟାରସିଂ ଦିବ୍ୟ ଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।