“କାଳ ସମ୍ପୂର୍ଣ୍ଣ ହେଲାଣି, ମନ ପରିବର୍ତ୍ତନ କର”: ରେଭ. ଡ଼ଃ ପ୍ରାଚୀ ରଞ୍ଜନ ଦାଶ (କଟକ), ମାଜୁମାହା ବାପ୍ତିଷ୍ଟ ମଣ୍ଡଳୀର ଶତବାର୍ଷିକୀ ଉତ୍ସବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତରେ ମିଳିତ ମଣ୍ଡଳୀ ଆନୁକୂଲ୍ୟରେ ମାଜୁମାହା ବାପ୍ତିଷ୍ଟ ମଣ୍ଡଳୀର ଶତବାର୍ଷିକୀ ଉତ୍ସବ ଦୁଇଦିନ ଧରି ଆନନ୍ଦଉଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ରାଇକିଆ ପାଷ୍ଟର ଅସୋସିଏସନ୍ ଟ୍ରଷ୍ଟର ସଭାପତି ରେଭ.ଦମନିକ ଦିଗାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଆୟୋଜନ କମିଟି ପକ୍ଷରୁ ହନକ ଦିଗାଲ ଅତିଥି ଓ ଉପସ୍ଥିତ ବିଶ୍ୱାସୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ଉଦ୍‌ଘାଟନୀ ସଭାରେ ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁସମା ପ୍ରଧାନ, କତିଙ୍ଗିଆ ସରପଞ୍ଚ ବିଭୁତି ପ୍ରଧାନ, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ସଭାପତି ଜାନେ କୁମାର ନାୟକ, ରାଜ୍ୟ ଖ୍ରୀଷ୍ଟୀୟ ଉଦ୍ୟୋଗ ସମ୍ମିଳନୀ ସମ୍ପାଦକ ଓ ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ କନ୍ଧମାଳ ସମ୍ପାଦକ ରେଭ.ପ୍ରଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ ସହ ବିଭିନ୍ନ ମଣ୍ଡଳୀର ପାଳକ, ନେତୃବୃନ୍ଦ ଓ ବହୁ ସଂଖ୍ୟକ ଖ୍ରୀଷ୍ଟିଆନ ଭକ୍ତ ଉପସ୍ଥିତ ଥିଲେ । ଆତ୍ମିକ ସଭାର ପ୍ରଥମ ଅଧିବେଶନରେ “କାଳ ସମ୍ପୂର୍ଣ୍ଣ ହେଲାଣି, ମନ ପରିବର୍ତ୍ତନ କର” ବିଷୟରେ ରେଭ. ଡ଼ଃ ପ୍ରାଚୀ ରଞ୍ଜନ ଦାଶ (କଟକ) ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ରହି ପବିତ୍ର ବାଇବଲ ଧର୍ମଶାସ୍ତ୍ରରୁ ବାକ୍ୟ ପରିବେଷଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ରେଭ. ଚନ୍ଦ୍ରଗୁପ୍ତା (ରାୟଗଡା) ଉପସ୍ଥିତ ରହି ବିଶ୍ୱାସୀମାନଙ୍କୁ ଆତ୍ମିକ ଜୀବନରେ ଦୃଢ଼ ରହିବାକୁ ଆହ୍ୱାନ ଦେଇଥିଲେ । କୁଇ ସୁସମାଚାର ଗାୟକ ହନକ ଦିଗାଲଙ୍କ ଭକ୍ତିମୟ ସଙ୍ଗୀତ ସଭାକୁ ଆହୁରି ଆକର୍ଷଣୀୟ କରିଥିଲା । ସଭାରେ ରାଇକିଆ ଥାନା ପକ୍ଷରୁ ପୁଲିସ କର୍ମଚାରୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କରିଥିଲା । କମିଟି ପକ୍ଷରୁ ସଭାପତି ସତ୍ୟବାଦୀ ଦିଗାଲ, ଉପସଭାପତି ରେମଜିସ ନାୟକ, ସମ୍ପାଦକ ଖଲେଶ୍ୱର ଦିଗାଲ, ଯୁଗ୍ମ ସମ୍ପାଦକ ହେମନ୍ତ ପ୍ରଧାନ, କୋଷାଧ୍ୟକ୍ଷ ବାବୁଲା ଦିଗାଲ ଓ ମଣ୍ଡଳୀର ସଦସ୍ୟ ସଦସ୍ୟାମାନେ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ । ସଙ୍ଗୀତ ଦଳକୁ ରେଭ.ଗୌରଚନ୍ଦ୍ର ନାୟକ ପରିଚାଳନା କରି ଆତ୍ମିକ ପରିବେଶ ଆଡ଼କୁ କଢ଼େଇ ନେଇଥିଲେ । ଉଦୟଗିରି ଆଞ୍ଚଳିକ ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ପକ୍ଷରୁ ଆଗତ ଭକ୍ତମାନଙ୍କ ପାଇଁ ଲେମ୍ଭୁ ମିଶ୍ରିତ ଜଳଯୋଗ ବ୍ୟବସ୍ଥା କରାଯାଇଥିଲା । ଶତବାର୍ଷିକୀ ଉତ୍ସବ ଅବସରରେ ମଣ୍ଡଳୀର ଶତବର୍ଷୀୟ ସେବା ଓ ଆତ୍ମିକ ଯାତ୍ରାକୁ ସ୍ମରଣ କରାଯାଇଥିଲା । ଉତ୍ସବରେ ଅଞ୍ଚଳର ବିଭିନ୍ନ ମଣ୍ଡଳୀରୁ ବହୁ ସଂଖ୍ୟକ ବିଶ୍ୱାସୀ ଯୋଗଦେଇଥିବା ଦେଖାଯାଇଥିଲା।