ଭଞ୍ଜନଗର(ନିଲୁ ବିଷୋୟୀ): ଦିନ ଥିଲା ଫୁଟବଲ୍ ଖେଳ ପାଇଁ ଘୁମୁସର ମାଟି ତଥା ଭଞ୍ଜନଗର ଅଞ୍ଚଳ ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏହି ମାଟିରେ ଜନ୍ମିତ ଅନେକ ଫୁଟବଲ ଖେଳାଳି ସମଗ୍ର ରାଜ୍ୟରେ ଓ ଜାତୀୟସ୍ତରରେ ନିଜ ପ୍ରତିଭାର ନିଦର୍ଶନ ଦେଖାଇ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ । ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କୁ ନେଇ ଅନେକ ଲିଗ୍ ମ୍ୟାଚ୍ ରୀତିମତ ଆୟୋଜିତ ହୋଇଥିଲା । ଏଥିସହ ଅତୀତରେ ଅନେକ ରାଜ୍ୟ ଓ ଜାତୀୟସ୍ତରୀୟ ଟୁର୍ନାମେଣ୍ଟ ମଧ୍ୟ ଭଞ୍ଜନଗରରେ ଖେଳାଯାଇଥିଲା । ଫଳରେ ଏଠାରେ ଫୁଟବଲ ପ୍ରତି ଯୁବପିଢ଼ି ଆକର୍ଷିତ ହେଉଥିଲେ । କିନ୍ତୁ ଗତ କିଛିବର୍ଷ ଧରି ଟୁର୍ନାମେଣ୍ଟ୍ ଆୟୋଜିତ ହେଉ ନଥିବାରୁ ଏହି ଖେଳ ହାତଗଣତି କିଛି ଖେଳାଳିଙ୍କ ମଧ୍ୟରେ ସୀମିତ ରହିଛି । କିଛି ଖେଳାଳି ନିୟମିତ ନିଜସ୍ବ ଉଦ୍ୟମରେ ଅଭ୍ୟାସ କରୁଛନ୍ତି । ଭଞ୍ଜନଗରର ଗୌରବ ଇତିହାସକୁ ବହନ କରୁଥିବା ଫୁଟବଲ୍ ଖେଳ ବର୍ତ୍ତମାନ ନୂଆ ସମ୍ଭାବନାର ଅପେକ୍ଷାରେ ରହିଛି । ଏଭଳି ପରିସ୍ଥିତିରେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଚଳିତମାସ ୨୪ ତାରିଖରୁ ଭଞ୍ଜନଗର ଫୁଟବଲ ଏକାଡେମୀ ଆନୁକୂଲ୍ୟରେ ପୁଣି ସର୍ବଭାରତୀୟ ‘ଭଞ୍ଜଟ୍ରଫି’ ଫୁଟବଲ ଟୁର୍ନାମେଣ୍ଟ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ଼ ସମେତ ବିହାର ଓ ହାଇଦ୍ରାବାଦ ଆଦି ସହରରୁ ମୋଟ ୮ଟି ଦଳ ଭାଗ ନେବେ ବୋଲି ଜଣାପଡ଼ିଛି । ଫଳରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଏହି ପ୍ରତିଯୋଗିତା ଫଳରେ ଆଗାମୀ ଦିନରେ ଖେଳ ପଡ଼ିଆର ଉନ୍ନତୀକରଣକୁ ନେଇ କ୍ରୀଡ଼ାବିତଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ବର୍ତ୍ତମାନ ପ୍ରତିଯୋଗିତା ପାଇଁ ପଡ଼ିଆରେ ମାଟି ପକାଇ ସମତୁଲ କରାଯାଇଥିବା ପ୍ରବେଶ ପାଇଁ ଥିବା ରାସ୍ତାରେ ନୂତନ ଗେଟ୍ ଲଗାଯାଇଛି । କିନ୍ତୁ ପ୍ରତିଯୋଗିତା ପରେ ପଡ଼ିଆର ସ୍ଥାୟୀ ଉନ୍ନତୀକରଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।