ପଞ୍ଚାୟତ ସମିତି ଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ..

କନ୍ଧମାଳ, ସ୍ୱତନ୍ତ୍ର ପ୍ରତିନିଧି (ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ସାଂସଦ ପ୍ରତିନିଧି ମାନଗୋବିନ୍ଦ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି, ସମସ୍ତ ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମୀଣ ଗୃହ ଯୋଜନାର ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ ଅତିଥି ମାନଙ୍କୁ ସ୍ବାଗତ ସମର୍ଦ୍ଧନା ଏବଂ ଧନ୍ୟବାଦ ଜଣେଇଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାରୁ ଅଭାସି ଜରିଆରେ ଉଦ୍ଘାଟନ କରିସାରିବା ପରେ, ଘୁ.ଉଦୟଗିରି ବ୍ଲକର ୧୧୫ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା  କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଭିନ୍ନ ପଞ୍ଚାୟତର ୧୫ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ତଥା ପଞ୍ଚାୟତରେ କାମ କରୁଥିବା ସମସ୍ତ ଅଧିକାରୀ, କର୍ମଚାରୀ, ସି.ଆର.ପି, ଏମ.ବି.କେ, ଗାଁ ସାଥି, ସ୍ଵଂୟ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମା ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।