ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତଚରଣ ଦାସ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟାଳୟ ଗସ୍ତ କରି ସେଠାରେ ଚାଷୀର ସମସ୍ତ ଧାନକୁ ବିନା କଟନୀ ଛଟନୀ, ନିର୍ଦ୍ଧାରିତ ମୂଲ୍ୟ ଓ ଦୁର୍ନୀତି ବିବର୍ଜିତ କ୍ରୟ କରିବା ଦାବିରେ ଅନଶନରତ ନବନିର୍ମାଣ କୃଷକ ସଂଗଠନର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାରଙ୍କୁ ସାକ୍ଷାତ କରି କଂଗ୍ରେସ ସମର୍ଥନ ଜ୍ଞାପନ କରିଥିଲେ । ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ କଂଗ୍ରେସ ଦଳ ସଦାସର୍ବଦା ଚାଷୀର ସ୍ୱାର୍ଥ ପାଇଁ ସଂଗ୍ରାମ କରିଆସିଛି । ଓଡ଼ିଶାର ଏକ କୃଷକ ବିରୋଧ ସରକାର ଚାଲିଛି । ନିର୍ବାଚନ ପୂର୍ବରୁ କୃଷକମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ । କ୍ଷମତାସୀନ ହେଲା ପରେ ଏହି ସରକାର କୃଷକମାନଙ୍କୁ ପ୍ରତାରିତ କରୁଛନ୍ତି । ପ୍ରତାରିତ ଓ ଅବହେଳିତ କୃଷକ ଓ କୃଷି ଶ୍ରମିକ ପାଇଁ ରାଜ୍ୟ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରି ବୋଲି ଶ୍ରୀ ଦାସ କହିଥିଲେ । ପିସିସି ସଭାପତି ଶ୍ରୀ ଦାସଙ୍କ ସହ ସେହି ଅନଶନ ସ୍ଥଳକୁ ମାନସ ଚୌଧୁରୀ, ବିଶ୍ୱଜିତ ଦାସ, ୟାସିର ନଓ୍ୱାଜ, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ମନୋଜ ବିଶ୍ଵାଳ, ଅମୀୟ ପଟ୍ଟନାୟକ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି ଓ ମହମ୍ମଦ ପରଭେଜ ପ୍ରମୁଖ ଗସ୍ତ କରିଥିଲେ ।