ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ସ୍ଥାନୀୟ କାଥଳିକ ଚର୍ଚ୍ଚ ପରିସରରେ କଟକ ଭୁବନେଶ୍ବର ଧର୍ମ ପ୍ରଦେଶର ସ୍ଵର୍ଣ୍ଣ ଜୟନ୍ତୀ ସମାରୋହ ଧୁମ୍ ଧାମରେ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡି ଧର୍ମାଞ୍ଚଳର ମୁଖ୍ୟ ଯାଜକ ମୁକୁନ୍ଦ ବଳିଆର ସିଂଙ୍କ ନେତୃତ୍ୱରେ ଧର୍ମାଞ୍ଚଳର ଖ୍ରୀଷ୍ଟ ବିଶ୍ବାସୀ, ପାଳକ ଓ ସ୍ବେଚ୍ଛାସେବୀମାନେ ବୁଧବାର ଦିନ ଅପରାହ୍ନରେ ଅତିଥି ଧର୍ମାଧ୍ୟକ୍ଷ ଓ ଯାଯକମାନଙ୍କୁ ଆଡ଼ମ୍ବର ସହକାରେ ସ୍ୱାଗତ କରି ଚର୍ଚ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଗୁରୁବାର ଦିନ ଚର୍ଚ୍ଚ ପରିସର ମଧ୍ୟରେ ସ୍ଵର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମିଳିତ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ତଥା କଟକ ଭୁବନେଶ୍ବର ଆର୍ଚ୍ଚ ଡାୟୋସିସର ଧର୍ମାଧ୍ୟକ୍ଷ ଯୋହନ ବାରୱା ଏସ ଭି ଡି.ପୌରହିତ୍ୟ କରିବା ସହ ବାଇବଲରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ । ଏହି ଦିବ୍ୟ ଯଜ୍ଞରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୩ ଜଣ ଧର୍ମାଧ୍ୟକ୍ଷ ଯୋଗ ଦେଇଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଯାଯକମାନେ ଦିବ୍ୟଯଜ୍ଞ ରେ ଯୋଗଦାନ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ କଟକ ଭୁବନେଶ୍ବର ଧର୍ମ ପ୍ରଦେଶର ଭି ଜି ପ୍ରଦୋସ ଚନ୍ଦ୍ର ନାୟକ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମିଳିତ ଦିବ୍ୟଯଜ୍ଞ ପାଇଁ ବେଦୀକୁ ଆମନ୍ତ୍ରଣ କରିଥିଲେ । ଯାଯକ ଦେବରାଜ ସିଂ ଓ ଭଞ୍ଜକିଶୋର୍ ନାୟକଙ୍କ ନେତୃତ୍ୱରେ ଭକ୍ତି ସଙ୍ଗୀତ ପରିଚାଳନା କରାଯାଇଥିଲା । ବିଭିନ୍ନ ଧର୍ମାଞ୍ଚଳରୁ ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ କ୍ୟାଥଲିକ ଖ୍ରୀଷ୍ଟ ବିଶ୍ବାସୀ ମାନେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଧର୍ମାଞ୍ଚଳର ମୁଖ୍ୟ ଯାଯକ ମୁକୁନ୍ଦ ବଳିଆର ସିଂ ନେତୃତ୍ଵ ନେଇଥିବା ବେଳେ ଉକ୍ତ ଧର୍ମାଞ୍ଚଳର ପ୍ୟାରିସ କାଉନସିଲ ସଦସ୍ୟ, ପାଳକ ବୃନ୍ଦ, ସ୍ବେଚ୍ଛାସେବୀ ଓ ଧର୍ମାଞ୍ଚଳର ସ୍ଥାନୀୟ ନେତୃବୃନ୍ଦ ମାନେ 6ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ମନୋରଞ୍ଜନ ସିଂ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l ଥାନା ଆଇଆଇସି କନକ କୁମାର ମାଝୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।