କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଯନ୍ତ୍ରଣା, ବିଦେଶକୁ କାମ କରିବାବାକୁ ଯାଇ ଶବ ହୋଇ ଫେରିଲେ ହେରଦ…

ଦାରିଙ୍ଗବାଡି:(ଆଶୋକ ସିଂ): ରାଜ୍ୟରେ ସରୁନି ଦାଦନ ଯନ୍ତ୍ରଣା । କାମ ପାଇବା ଆଶାରେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ । ଗଲାବେଳେ ସୁସ୍ଥ ସବଳ ଶରୀର ନେଇ ଯାଉଛନ୍ତି I କିନ୍ତୁ ଫେରିବା ବେଳକୁ ଶବ ହୋଇ ଫେରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ ପାର୍ଡାକିଆ ଗ୍ରାମର ଆଦିବାସୀ ଯୁବକ ହେରଦ ପ୍ରଧାନ ଅନ୍ୟ ଦୁଇଜଣ ସାଙ୍ଗ ନିଜ ଅଞ୍ଚଳରେ କାମ ନମିଳିବାରୁ ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଖଟିବାକୁ ଗତ ସେପ୍ଟେମ୍ବର ମାସରେ କେରଳ ଯାଇଥିଲେ । ସେଠାରେ ତ୍ରିଶୂର ଜିଲ୍ଲାସ୍ଥିତ ଅଟପାଲମ କ୍ରସର କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ପଥର ଗୁଣ୍ଡରେ ପୋତି ହୋଇଯାଇଥିଲେ ୨୫ ବର୍ଷୀୟ ହେରଦ । କିଛି ସମୟ ପରେ ଖୋଜାଖୋଜି କରିବାରୁ ଜଣାପଡିଥିଲା ଯେ ପଥର ଗୁଣ୍ଡରେ ପୋତି ହୋଇ ତାଙ୍କ ଜୀବନ ଚାଲିଯାଇଥିଲା । ଏହା ପରେ କମ୍ପାନୀ ପକ୍ଷରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ତରଫରୁ ଆମ୍ବୁଲାସ ମାଧ୍ୟମରେ ମୃତ ଶରୀରକୁ ଗ୍ରାମକୁ ପଠାଯାଇଥିଲା । ଅପରପକ୍ଷରେ ବୃଦ୍ଧ ବାପା ଓ ମା ଏବଂ ପତ୍ନୀ ଏବଂ ୪ ବର୍ଷର କୁନି ପୁଅ ରସନ ପ୍ରଧାନଙ୍କ ସମେତ ସମସ୍ତ ଅଞ୍ଚଳବାସୀ ହେରଦଙ୍କର ମୃତ ଘଟଣା ଶୁଣି ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏଭଳି ସ୍ଥିତିରେ ତାଙ୍କ ପରିବାରକୁ କିଏ ସାହା ହେବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପରିବାର ପ୍ରତିପୋଷଣ ନିମନ୍ତେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରକାଶଥାଉ କି ଗୁମିକିଆ ପଞ୍ଚାୟତ ପାର୍ଡାକିଆରୁ ସେହି କମ୍ପାନୀରେ ରହି ତିନି ଜଣ ଯୁବକ ଏବଂ ପାଖାପାଖି ସେହି ଅଞ୍ଚଳରୁ ଆହୁରି ତିରିଶି ଜଣ ଯୁବକ ଭିନ୍ନ ଭିନ୍ନ ରାଜ୍ୟରେ କାମକରୁଥିବା ଜଣା ପଡ଼ିଛି । କିନ୍ତୁ ଏଯାବତ ଗ୍ରାମରେ ରୋଜଗାର ପନ୍ଥା ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ଯିବାକୁ ପଡୁଛି ବୋଲି କହିଛନ୍ତି ଅଞ୍ଚଳ ବାସୀ ।