ଭଞ୍ଜନଗର(ନିଲୁ ବିଷୋୟୀ): ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗତ କିଛି ଦିନ ଧରି ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳ ଇଲାକାରେ ୨୪ ଟିକିଆ ହାତୀପଲ ଘୂରୀ ବୁଲୁଛନ୍ତି । ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରକୁ ଚାଲି ଆସୁଥିବାରୁ ଚାଷୀମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଚାଷୀ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ମିଳୁଥିବା ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ହାତୀଙ୍କ ଦୌରାତ୍ମ ଯୋଗୁଁ ବନ କର୍ମଚାରୀ ନାକେଦମ ହେଉଥିବା ବେଳେ ଚାଷୀର ଚିନ୍ତା ଦ୍ୱିଗୁଣିତ ହୋଇଛି । କେଉଁଠି ବନ ବିଭାଗର କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଘଉଡାଉଥିବା ବେଳେ ଅନେକ ଜାଗାରେ ଚାଷୀଙ୍କୁ ବନ ବିଭାଗର କର୍ମଚାରୀ ହାତୀ ଘଉଡାଇବାରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଏହି ୨୪ ଟିକିଆ ହାତୀପଲ ଗତ କିଛି ଦିନ ପୂର୍ବରୁ ଗୁଣ୍ଡୁରୀବାଡ଼ି ଇଲାକାରେ ବୁଲୁଥିବା ବେଳେ ସେଠାରେ କିଛି ଘର୍ ଭାଙ୍ଗିବା ସହ ଧାନ ଓ ଚାଉଳ ବସ୍ତା ଟାଣି ଖାଇଥିଲେ । ଏହାପରେ ସେହି ଇଲାକାରୁ ହାତୀଙ୍କୁ ଅନ୍ୟତ୍ର ଘୋଡିବା ପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡିଥିଲା । ବର୍ତ୍ତମାନ ଏହି ହାତୀପଲ ଡ଼ହ ରେଞ୍ଜ ଅଧୀନ ଚିଟିପଲ୍ଲୀ ଗ୍ରାମ ନିକଟବର୍ତ୍ତି ଜଙ୍ଗଲ ଇଲାକାରେ ଚଳପ୍ରଚଳ କରୁଥିବା ବେଳେ ଶୁକ୍ରବାର ଭୋର ସକାଳ ସମୟରେ ଚିଟିପଲ୍ଲୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗ୍ରାମର ଟୁନି ଭୂୟାଁଙ୍କ ଲକ୍ଷାଧିକ ଟଙ୍କାର ଧାନ ଓ ପନିପରିବା ଚାଷ ହାତୀପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଭୋର ସମୟରେ ହାତୀପଲ ରାସ୍ତା କଡରେ ଥିବା ଟୁନି ଭୂୟାଁଙ୍କ ଘରେ ପଶି ୪୫ବସ୍ତା ଅମଳ ଧାନ ବସ୍ତା, କୃଷି ଯନ୍ତ୍ରପାତି ସହ ଘରକୁ ଲାଗି ରହିଥିବା ଜମିରେ ବିଭିନ୍ନ ପନିପରିବା ଚାଷ, ସୋଲାର ବୋର ଏବଂ ପେନଲ ନଷ୍ଟ କରିଛନ୍ତି । ସେହିପରି ଗ୍ରାମର ବିଜୟ ମଳିକଙ୍କ ଘର୍ କାନ୍ଥ ଭାଙ୍ଗି ହାତୀପଲ ୪ବସ୍ତା ଧାନ ଟାଣି ଖାଇ ନଷ୍ଟ କରିଛନ୍ତି । ଏଥି ସହିତ ନିକଟସ୍ଥ ପିତାଖଡ ଗ୍ରାମରେ ଏକାକୀ ରହୁଥିବା ବୃଦ୍ଧ କାଞ୍ଚନ ମଳିକଙ୍କ ଚାଳ ଘରକୁ ଭାଙ୍ଗି ମାଟିରେ ମିଶାଇଛନ୍ତି । ହାତୀପଲର ଦୌରାତ୍ମରେ ଗ୍ରାମର ମମତା ଗୌଡ଼, କୈଳାସ ଚନ୍ଦ୍ର ବିଷୋୟୀ, ବିଦ୍ୟାଧର ପ୍ରଧାନ, ଭିକାରୀ ଭୂୟାଁ, ଅନ୍ତଯ୍ୟାମୀ ବିଷୋୟୀ, କୃଷ୍ଣ ଚନ୍ଦ୍ର ଗୌଡ଼, ସନ୍ତୋଷ ଭୂୟାଁ, ଅଶୋକ ସ୍ୱାଇଁ ଙ୍କ ବ୍ୟାପକ ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଲକ୍ଷାଧିକ ଟଙ୍କା କୃଷି ଋଣ ଆଣି ଚାଷ କରିଥିବାରୁ ଋଣ ଟଙ୍କା କେମିତି ଶୁଝିବୁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ତେବେ ହାତୀଙ୍କ ଚଳପ୍ରଚଳ ରହିଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଡ୍ରୋନ୍ କ୍ୟାମେରାର ମଧ୍ୟ ସହାୟତା ନିଆଯାଉଛି । ତେବେ ହାତୀ ବାହାରୁଥିବା ଖବର ପାଇ ଅନେକ ଲୋକ ଦେଖିବା ପାଇଁ ଦୌଡି ଯାଉଥିବାରୁ ଅନେକ ସମୟରେ ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ଚିନ୍ତା ଜନକ ସ୍ଥିତି ସୃଷ୍ଟି କରୁଛି । ଚିଟିପଲିରେ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଫସଲର ଅନୁଧ୍ୟାନ କରାଯାଇଥିବା ବେଳେ ବିଭାଗ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ବନପାଳ ଅନୁପ କୁମାର ବିଷୋୟୀ କହିଛନ୍ତି ।