ଥମୁନି ମାଣ୍ଡିପଙ୍କା ଆମ୍ବ ଟାକୁଆ ଟ୍ରାଜେଡ଼ି, ନେଲାଣି ୩ ଜଣଙ୍କ ଜୀବନ, ଏପଟେ ଚିକିତ୍ସାର ଅବହେଳା ହେତୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର….
ଦାରିଙ୍ଗବାଡ଼ି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ମାଣ୍ଡିପଙ୍କା ଗ୍ରାମରେ ଥମୁନି ଆମ୍ବ ଟାକୁଆ ଟ୍ରାଜେଡ଼ି l ପୁଣି ଏସିବିରେ ଚିକିତ୍ସିତ ହେଉଥିବା ଜିତା ମାଝୀଙ୍କ ଗତକାଲି ମୃତ୍ୟୁ ହୋଇଛି । ୧୮ ଦିନ ପରେ ପୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜିତାଙ୍କ ମର ଶରୀର ରାତ୍ର ପ୍ରାୟ ସାଢେ଼ ଗୋଟାଏରେ ଗ୍ରାମରେ ପହଞ୍ଚି ଥିଲା l ବଡ଼ି ଭୋରରୁ ତହସିଲଦାର ଶରତ ଶବର ଓ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଉକ୍ତ ଗ୍ରାମରେ ପହଞ୍ଚି ମୃତ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ରେଡକ୍ରସ୍ ପାଣ୍ଠିରୁ ୩୦ହଜାର ଆର୍ଥିକ୍ ସହାୟତା ପ୍ରଦାନ କରିଥିଲେ । ଗ୍ରାମର ୬ ପରିବାରର ୮ ଜଣ ମହିଳା ଆମ୍ବ ଟାକୁଆ ଖାଇ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ମହିଳା ଗୁରୁତର ହୋଇଥିଲେ । ୬ ଜଣ ଗୁରୁତ୍ୱରଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଜିତା ମାଝୀ ଓ ଟୁନି ମାଝୀ କଟକ ଏସିବିରେ ଚିକିତ୍ସିତ ହେଉଥିଲେ । ସ୍ଵତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କୁ ଚିକିତ୍ସା କରୁଥିବା ସତ୍ତ୍ୱେ ଜିତା ମାଝୀଙ୍କ ସୋମବାର ଦିନ ଅପରାହ୍ନରେ ମୃତ୍ୟୁ ଘଟିଛି । ଏପଟେ ଏସିବିରେ ଚିକିତ୍ସାର ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ସମେତ ଗ୍ରାମବାସୀ l ତାଙ୍କ କହିବା ଅନୁସାରେ ମେଡ଼ିକାଲରେ କାର୍ଯ୍ୟରତ ଥିବା ଡାକ୍ତର ଓ ନର୍ସ ସଠିକ ଭାବେ ଚିକିତ୍ସା ଦେଇନଥିଲେ ଏବଂ ଚିକିତ୍ସାରେ ଅବହେଳା କରିବାରୁ ଜିତା ମାଝୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି । ମୃତା ଜିତା ମାଝୀଙ୍କ ଘରେ ବର୍ତ୍ତମାନ ସ୍ୱାମୀଙ୍କୁ ମିଶାଇ ଛଅ କୁଟୁମ୍ବ l ଚାରି ଝିଅ ଗୋଟେ ପୁଅ ସମସ୍ତେ ପାଠ ପଢୁଛନ୍ତି l ସେମାନଙ୍କ ପାଠ ପଢା ଖର୍ଚ୍ଚ ବାପା ଜଣେ ତୁଲେଇ ପାରିବେ ନାହିଁ l ଯାହାବି କିଛି କିଛି ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ସରକାରୀ ସହାୟତା ମିଳିଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ଭଳି l ଏଣୁ ପିଲାଙ୍କ ପାଠ ପଢିବା ପାଇଁ ସରକାରୀ ସହାୟତା ଏବଂ ମୃତକ ପରିବାରକୁ ଅନ୍ତତଃ ୨୦ ଲକ୍ଷ ଟଙ୍କା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।