ସୁନ୍ଦରଗଡ଼ ଦିବସ ଏବଂ ଜିଲ୍ଲା ମହୋତ୍ସବ “ଯତରା” ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ମନୋଜ ମହାଜନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରତିଷ୍ଠା ଦିବସ “ସୁନ୍ଦରଗଡ଼ ଦିବସ” ଏବଂ ଜିଲ୍ଲା ମହୋତ୍ସବ “ଯତରା” ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଜାନୁୟାରୀ ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଆୟୋଜିତ ହେବ । ସେହିପରି ଯତରାର ସଫଳତାର ସହ ଆୟୋଜନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ କଳାକାର ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ବିଭିନ୍ନ କମିଟି ମାନ ଗଠନ କରାଯିବ ଏବଂ ସଂପୃକ୍ତ କମିଟି ଗୁଡ଼ିକ ପରସ୍ପର ସହ ସମନ୍ଵୟ ରକ୍ଷା କରି ନିଜ ନିଜ କମିଟିର କାର୍ଯ୍ୟ ଗୁଡିକ ସମ୍ପାଦନ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଗତ ବର୍ଷର ଧାରା ବିବରଣୀ ପାଠ କରିବା ସହିତ ଯତରା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଗୁଡିକ ଉପରେ ଉପସ୍ଥାପନା କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଜାନୁୟାରୀ ୧ ତାରିଖ ଦିନ ମା ସମଲେଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମଶାଲ ବାହାରିବ ଯତରା ପଡ଼ିଆ ଠାରେ ପହଞ୍ଚିବ । ଏହି ଶୋଭାଯାତ୍ରାରେ ସବୁ ବ୍ଲକରୁ କଳାକାର, ସାଧାରଣ ଜନତା , ବିଭିନ୍ନ ଅନୁଷ୍ଠାନ, ଯୁବବର୍ଗ, ସମସ୍ତ ବିଭାଗୀୟ ଅଧିକାରୀ ହେବାର ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରତ୍ୟେକ ଦିନ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ଯେଉଁଥିରେ ଆଂଚଳିକ, ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପ୍ରମୁଖ କଳାକାରମାନେ ଅଂଶ ଗ୍ରହଣ କରିବେ । ଏହା ସହିତ ଓରମାସ ଦ୍ଵାରା ପଲିଶ୍ରୀ ମେଳା ଆୟୋଜିତ ଏବଂ ପୁସ୍ତକ ମେଳା ମଧ୍ୟ ଆୟୋଜନ କରାଯିବାର ନିଷ୍ପତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପ ଜିଲ୍ଲାପାଳ ଶ୍ରୀ ଦାସରଥି ସରାବୁ, ସମସ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲା ର ବରିଷ୍ଠ କଳାକାର, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବୈଠକରେ କାର୍ଯ୍ୟକ୍ରମ ଉପରେ ନିଜ ନିଜର ମତାମତ ରଖିଥିଲେ । ଉପରୋକ୍ତ ସବୁ କାର୍ଯ୍ୟକ୍ରମକୁ କିଭଳି ଭାବେ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ମହାଜନ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।