ମରଣଯନ୍ତା ପାଲଟିଛି ନୂଆଗଡ଼ ବ୍ଲକ ଠାରୁ ପି.ଅନ୍ତରଡ଼ା ରାସ୍ତା…

ମୋହନା(ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଠାରୁ ପି.ଅନ୍ତରଡ଼ା ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା କେବଳ ବର୍ଷେ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା । ତେବେ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତା ମଝିରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ରାସ୍ତା ନୂଆଗଡ଼ ବ୍ଲକ ଠାରୁ ପି.ଅନ୍ତରଡା, କେରେଡାଙ୍ଗ, ମାଣିକପୁର, ମାଡ୍ରୀ ପର୍ଯ୍ୟନ୍ତ ଲାଗି ରହିଛି । ଉକ୍ତ ରାସ୍ତାରେ ବହୁ ଗାଡି ମାଟର ଯାତାୟାତ କରୁଥିବାରୁ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି । ପ୍ରତ୍ୟେକ ଦିନ ବିଭାଗୀୟ ସରକାରୀ କର୍ମଚାରୀମାନେ ଏହି ରାସ୍ତାରେ ଯାତାୟତ କରୁଥିବାଳ ବେଳେ କାହାରି ଦୃଷ୍ଟି ପଡୁନାହିଁ । ଏହି ସମସ୍ୟାକୁ ନେଇ ଅଞ୍ଚଳର ଜନସାଧାରଣ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ନିତି ଲାଗି ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହାର ଶୀଘ୍ର ସମାଧାନ କରାନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ବ୍ଲକ କାର୍ଯ୍ୟାଳୟଠାରେ ଧାରଣା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।