ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କାନାଡାର ଦମ୍ପତି…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୭ ଏବଂ ୫୮ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ସୁଦୂର କାନାଡା ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ସୂଚନା ପ୍ରକାରେ ପିତୃମାତୃହୀନ ଏହି ଦୁଇ ଶିଶୁପୁତ୍ରଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ନିସାନ ସାଲୋମ ଶିଶୁ ଯତ୍ନ ଅନୁଷ୍ଠାନ ଗୁମ୍ମା ଠାରେ ରଖି ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଉଥିଲା ।  ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି ଗଜପତି ଶିଶୁଦ୍ବୟଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହା ପରେ ଶିଶୁଙ୍କ ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲରେ ଅପଲୋଡ଼୍ କରାଯାଇଥିଲା l ଯାହାଦ୍ବାରା ଶିଶୁଦ୍ୱୟ ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବେ l ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ତିନି ବର୍ଷ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା କାନାଡା ଦେଶର ଏକ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଶାରିରୀକ ସ୍ତରରେ ଶିଶୁଦ୍ଵୟଙ୍କୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଦ୍ଵୟଙ୍କୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ । ସମ୍ପର୍କରେ ଶିଶୁଦ୍ବୟ ଦୁଇ ଭାଇ ହୋଇଥିବାବେଳେ ଶିଶୁଦ୍ବୟଙ୍କୁ ପାଇ ଉକ୍ତ ଦମ୍ପତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ, ନିସାନ ସାଲୋମ ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଶୁଭଙ୍କର ଲିମ୍ମା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ  ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।