ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅନ୍ତର୍ଗତ କେ.ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ମଣ୍ଡଳଙ୍କର ସଭାପତିତ୍ଵର ଏବଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ କ୍ରମେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିବା ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା ଏବଂ ଶ୍ରୀଯୁକ୍ତ ଶ୍ରୀନିବାସ ବେହର୍ଦଳାଇ ସମ୍ମାନିତ ଅତିଥି ଭାବରେ କାର୍ଯକ୍ରମକୁ ସଫଳ କରାଇଥିଲେ । ଏହି ପରିପ୍ରେକ୍ଷିରେ ରା.ଉଦୟଗିରି ବ୍ଲକରେ ଥିବା 127ଟି ବିଦ୍ୟାଳୟରୁ 218 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ସହିତ 103 ଜଣ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ଗଣିତ, ବିଜ୍ଞାନ, ଭୂଗୋଳ, ଇତିହାସ ଏବଂ ସାମ୍ପ୍ରତିକ ଘଟଣାବଳୀକୁ ଆଧାର କରି ବିଭିନ୍ନ ପ୍ରଶ୍ନମାନ ତିଆରି କରାଯାଇଥିଲା । ପିଲାମାନଙ୍କୁ ଉପକନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ତିନୋଟି ବିଭାଗରେ ଭାଗ କରାଯାଇ ସାଧାରଣଜ୍ଞାନର ପରୀକ୍ଷା ହେବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଅନ୍ୟ ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହିତ ଶାନ୍ତ୍ବନା ମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏତଦ ବ୍ୟତୀତ ଆୟୋଜକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ମହେଶ୍ୱତା ଖଣ୍ଡୁଆ ଉପକନିଷ୍ଠ ବିଭାଗରେ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ୱୟଂପ୍ରଜ୍ଞା ନାୟକ କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ, ଦଶମ ଶ୍ରେଣୀରେ ଛାତ୍ରୀ ସାନୁ ନାୟକ ବରିଷ୍ଠ ବିଭାଗରେ ଦ୍ଵିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବକୁ ଦ୍ବିଗୁଣିତ କରାଇଥିଲେ l ଏହା ଦ୍ବାରା ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ହେବା ସହିତ ସେମାନେ ଆଗକୁ ବଢ଼ି ପାରିବେ ବୋଲି ଆଶା କରାଯାଏ । ଏହି ଅବସରରେ ତାରିଣୀ ଚରଣ ମଣ୍ଡଳ, କିଶୋର ଚନ୍ଦ୍ର ଦଣ୍ଡସେନା, ନୀଳକଣ୍ଠ ନାୟକ, ଦିଗାମ୍ବର ଦାସ, ଯୁଧିଷ୍ଠିର ପାଇକ, ସଞ୍ଜୟ ଗୌଡ଼, କେଦାର ନାଥ କର, ସୁଶାନ୍ତ ସାହୁ, ବିରଞ୍ଚି ମଣ୍ଡଳ, ମନୋଜ ଭୂୟାଁ, ପ୍ରଜ୍ଞା ଦୀପ୍ତl ପାଇକ, ସୁଷମା ବାଣୁଆରାୟୀ, ମମତା ବେହେରଦଳାଇ, ରବିନା ଦାସ, ଉଷାରାଣୀ ଦେବୀ, ବିରଜା ମାଳିନୀ ନାୟକଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ଉକ୍ତ କାର୍ଯକ୍ରମରେ ସହଯୋଗ କରିଥିବା ବେଳେ ଶିକ୍ଷକ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିଥିଲେ ।