ପରଲୋକରେ ଅବସର ପ୍ରାପ୍ତ ଶିକ୍ଷକ ହିଲାରି ବଳିଆର ସିଂ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ଜଣେ ଅବସର ପ୍ରାପ୍ତ ଶିକ୍ଷକ ହିଲାରି ବଳିଆର ସିଂଙ୍କ ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ଦେହାନ୍ତ ହୋଇଛି । ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଖବର ଚାରିଆଡ଼େ ବ୍ୟାପିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତାମାଙ୍ଗି ଗ୍ରାମରେ ୧୯୪୦ ମସିହାରେ ଜନ୍ମ ଗ୍ରହଣ ହୋଇଥିଲା l କାଳ କ୍ରମେ ସେ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପରେ ୧୯୬୧ ମସିହା ରେ କାଟିଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ ପ୍ରଥମ ଚାକିରିରେ ନିଯୁକ୍ତି ପାଇଥିଲେ l ୧୯୭୬ ମସିହା ବେଳକୁ ସେ ନିଜ ପରିବାରକୁ ନେଇ ବ୍ରାହ୍ମଣୀଗାଁର ସ୍ଥାୟୀ ବାସିନ୍ଦା ଭାବେ ରହି ଆସୁଥିଲେ l ସେହି ସମୟରେ ଅଞ୍ଚଳରେ ଉଚ୍ଚ ଶିକ୍ଷାର କୌଣସି ସୁବିଧା ନଥିଲା l ନିଜେ ଶିକ୍ଷିତ ହେବା ପରେ ଅଞ୍ଚଳରେ ଶିକ୍ଷାର ବିକାଶ କରିବା ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଅଛି l ବିଶେଷ କରି ଅଞ୍ଚଳର ବୁଦ୍ଧିଜୀବୀ ଓ ମିଶୋନାରିମାନଙ୍କ ସହ ମିଶି ବ୍ରାହ୍ମଣୀଗାଁରେ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ, ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟ, ନେତାଜୀ ଏମ ଇ ସ୍କୁଲ , ଋଷିମାଳ ମହାବିଦ୍ୟାଳୟ ସ୍ଥାପନ କ୍ଷେତ୍ରରେ ମାର୍ଗ ଦର୍ଶନ ଦେବା ସହ ଆବଶ୍ୟକୀୟ ନଥି ପତ୍ର ଯୋଗାଡ଼ କରିବା, ଅଞ୍ଚଳର ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ତୁଲାଇ ଥିଲେ l ୧୯୭୭ ମସିହାରେ ବ୍ରାହ୍ମଣୀଗାଁର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ବ ସମ୍ଭାଳି ଥିଲେ l ୧୯୯୮ ମସିହାରେ ସେ ଅବସର ଗ୍ରହଣ କରି ନିଜ ପରିବାର ପୁତ୍ର ବଧୂ ନାତି ନାତୁଣୀଙ୍କ ଗହଣ ରେ ରହୁଥିଲେ । ମଙ୍ଗଳବାର ଦିନ ତାଙ୍କ ଦେହାନ୍ତ ପରେ ଖବର ପାଇ ଦୁର ଦୁରନ୍ତରେ ରହୁଥିବା ତାଙ୍କ ନିକଟ ସମ୍ପର୍କୀୟ, ବନ୍ଧୁ ବର୍ଗ, ପୁରାତନ ଛାତ୍ର ଛାତ୍ରୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ବୁଧବାର ଦିନ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ମାପନ ହୋଇଛି ।