କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଅନଲାଇନ ୟୁଟ୍ୟୁବ୍ ଆଣିଦେଲା ଏମବିବିଏସ୍ ପାଠ ପଢ଼ିବାର ସାହାରା । ହୁଏତ ଆପଣ ମାନକୁ କଥାଟି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସମ୍ପୂର୍ଣ ସତ୍ୟ । ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କଙ୍କଡ଼ାହାଡ଼ ଗ୍ରାମର ଦୟାନିଧି ପାତ୍ରଙ୍କ ପୁଅ ସିଦ୍ଧାର୍ଥ ଶଙ୍କର ପାତ୍ରଙ୍କ କଥା । ସିଦ୍ଧାର୍ଥ ଜଣେ ମଧ୍ୟବିତ୍ତ ପରିବାର ପିଲା ହୋଇ ଥିବାରୁ ଘରେ ଅଭାବ ଅନାଟନରେ ରହି ପାଠ ପଢି ଆସୁଥିଲେ । ପୁଅର ଭଲ ପାଠ ପଢ଼ାକୁ ଦେଖି ବାପା ଦୟାନିଧି ପାତ୍ର ପୁଅକୁ ଡକ୍ଟର ପାଠ ପଢ଼ାଇବା ପାଇଁ ମନ ବଳାଇଲେ l କିନ୍ତୁ ବାପାଙ୍କର ନିଜ ଅଞ୍ଚଳରେ କୌଣସି ରୋଜଗାର ନ ଥିବାରୁ ଓଡ଼ିଶା ବାହାରକୁ ବାହାରିଲେ ଦାଦନ ଖଟିବାକୁ ଯିବା ପାଇଁ ସିଦ୍ଧାନ୍ତ ନେଲେ । ବାପା ଦୟାନିଧି ବାଙ୍ଗାଲୋରର ସାରଦାପୁର ରୋଡ଼ରେ ଏସ୍.ଆର୍.ଏଫ୍ ସିକ୍ଯୁରୀଟି ଏଜେନ୍ସୀ ମାଧ୍ୟମରେ ସାତ ବର୍ଷ ହେବ ସିକ୍ଯୁରିଟି ଗାର୍ଡ କରି ନିଜ ପୁଅକୁ ବିନା କୋଚିଂରେ ଡାକ୍ତରୀ ପାଠ ପଢ଼ାଇବା ପାଇଁ ଇଛା ପ୍ରକାଶ କରିଛନ୍ତି । ସିଦ୍ଧାର୍ଥ ମଧ୍ୟ ନିଜ ବାପାଙ୍କ ଅକ୍ଲାନ୍ତ ପରିଶ୍ରମକୁ ପଦାରେ ନ ପକାଇ ବାପାଙ୍କ ଦାଦନ ଟଙ୍କାରୁ ଏକ ମୋବାଇଲ ଆଣି ଅନଲାଇନ୍ ଓ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ି ଡାକ୍ତରୀ ପାଠ ପଢ଼ିବା ପାଇଁ ରାଇପୁର ଏମ୍ସ ମେଡିକାଲ କଲେଜ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସିଦ୍ଧାର୍ଥଙ୍କ ପରିବାର ମଧ୍ୟବିତ୍ତ ଶ୍ରେଣୀ ଅନ୍ତର୍ଭୁକ୍ତ l ତେଣୁ ବାପା ମାଆ ସିଦ୍ଧାର୍ଥକୁ ଭଲ ଡକ୍ଟରଟିଏ କରିବା ପାଇଁ ଆଶା ରଖି ଥିଲେ । ଯାହା ଫଳରେ ସିଦ୍ଧାର୍ଥ ଆଜି ବିନା କୋଚିଙ୍ଗରେ କଲେଜରେ ଆଡ଼ମିଶନ କରି ୟୁଟ୍ୟୁବରେ କୋଚିଙ୍ଗ ନେଇ ନିଜ ପରିବାର ପାଇଁ ଗୌରବ ଆଣିଛନ୍ତି । ସିଦ୍ଧାର୍ଥଙ୍କ ଡ଼ାକ୍ତରୀ ପାଠ ପଢ଼ିବାର ଖବର ଶୁଣି ଗ୍ରାମବାସୀ ଓ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ଯାହା ଫଳରେ ବାପା ମାଆଙ୍କ ସ୍ବପ୍ନ ସାକାର ହୋଇ ଥିବାରୁ ଗ୍ରାମବାସୀ ଓ ପରିବାର ଲୋକେ ସିଦ୍ଧାର୍ଥଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇଛନ୍ତି । ପଢ଼ିବାର ମନ ବଳ ଥିଲେ କୋଚିଙ୍ଗ ନ ନେଇକିବି ମଧ୍ୟ ଅନଲାଇନ୍ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ି ଆଗକୁ ଯାଇ ପାରିବ ବୋଲି ସିଦ୍ଧାର୍ଥ ଯୁବ ପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରିବା ସହ ପାଠ ପଢା ପରେ ନିଜ ଅଞ୍ଚଳରେ ରହି ଲୋକଙ୍କ ସେବା କରିବି ବୋଲି ମତବ୍ୟକ୍ତ କରିଛନ୍ତି l