ଖାରଡା ଚାଷୀଙ୍କ ଗୁହାରି ଶୁଣିଲେ ବିଧାୟକ: ନେରେଡି ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଆଶଙ୍କା, ଗାଁରେ ଗୁଞ୍ଜିଲା ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ନିଜ ଜମି, ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଖାରଡା ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା ବିଧାୟକଙ୍କ ସମ୍ମୁଖରେ ରଖିଛନ୍ତି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ କରି ଚାଷୀ ଓ ଗ୍ରାମବାସୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ । ବିଧାୟକ ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଚାଷୀ ଏକାଠି ହୋଇ ନିଜ ନିଜ ସମସ୍ୟା ଜଣାଇଥିଲେ । ବିଶେଷକରି ନେରେଡି ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ମନରେ ଥିବା ଭୟ ଓ ଆଶଙ୍କା ସମ୍ପର୍କରେ ସେମାନେ ବିଧାୟକଙ୍କୁ ଅବଗତ କରାଇଥିଲେ । ଚାଷୀମାନଙ୍କ କହିବା ଅନୁଯାୟୀ, ନେରେଡି ପ୍ରକଳ୍ପ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ କରାଗଲେ ପ୍ରକଳ୍ପର ଉପର ଅଞ୍ଚଳର ଅନେକ ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ରହିଛି । ଅନ୍ୟପଟେ ତଳ ଅଞ୍ଚଳର ଚାଷୀମାନେ ଆବଶ୍ୟକ ପାଣିରୁ ବଞ୍ଚିତ ହେବାର ଭୟ ପ୍ରକାଶ କରିଛନ୍ତି । “ଆମ ଜମି ବୁଡ଼ିଯିବ, ଆମ ଘର ଉଜାଡ଼ିଯିବ, ଆମ ପିଲାଙ୍କ ଭବିଷ୍ୟତ କଣ ହେବ?”—ଏଭଳି ପ୍ରଶ୍ନ ନେଇ ଚାଷୀମାନେ ନିଜ ମନର କଷ୍ଟ ବିଧାୟକଙ୍କ ଆଗରେ ପ୍ରକାଶ କରିଥିଲେ । ବର୍ଷ ବର୍ଷ ଧରି ଯେଉଁ ମାଟିକୁ ଆଶ୍ରା କରି ପରିବାର ଚଳାଉଛନ୍ତି, ସେହି ଜମି ଓ ଜୀବିକା ହରାଇବାର ଆଶଙ୍କା ଚାଷୀଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଇଥିଲା l ନେରେଡି ପ୍ରକଳ୍ପକୁ ନେଇ ନିଜ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀମାନେ ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା ଦେଇ ପ୍ରତିବାଦ ଜଣାଇଥିଲେ । ଗ୍ରାମର ପରିବେଶ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା । ତଥାପି ଚାଷୀମାନେ ନିଜର ଜମି, ପାଣି ଓ ଜୀବନ-ଜୀବିକାର ସୁରକ୍ଷା ପାଇଁ ନିଜ ଦାବି ଦୃଢ଼ ଭାବେ ଉପସ୍ଥାପନ କରିଥିଲେ । ବିଧାୟକ ରୂପେଶ ପାଣିଗ୍ରାହୀ ଚାଷୀମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ସହ ସେମାନଙ୍କ ଆଶଙ୍କା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଚାଷୀଙ୍କ ଜୀବନ ଓ ଜୀବିକା ସହ ଜଡ଼ିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗ୍ରାମବାସୀଙ୍କ ମତାମତକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଲୋଚନା ସମୟରେ ଗୁରୁତ୍ୱ ପାଇଥିଲା । ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ରଙ୍କ ସମେତ ଶତାଧିକ ଚାଷୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଖାରଡା ଗ୍ରାମର ଏହି ଦୃଶ୍ୟ କେବଳ ଏକ ପ୍ରତିବାଦର ଚିତ୍ର ନୁହେଁ ବରଂ ନିଜ ମାଟି ଓ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ଚାଷୀଙ୍କ ଚିନ୍ତା ଓ ସଂଘର୍ଷର ପ୍ରତିଛବି । ନେରେଡି ପ୍ରକଳ୍ପକୁ ନେଇ ଆଗକୁ କି ପଦକ୍ଷେପ ନିଆଯିବ ଏବଂ ଚାଷୀଙ୍କ ଆଶଙ୍କା କିପରି ଦୂର ହେବ ତାହାକୁ ନେଇ ଏବେ ସମଗ୍ର ଅଞ୍ଚଳର ନଜର ରହିଛି ।