ତାଲାସିଂ ଗ୍ରାମ ଗସ୍ତ କଲେ ବିଧାୟକ: ସମସ୍ୟା ବୁଝିଲେ, ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଲେ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗୁମ୍ମା: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତର ତାଲାସିଂ ଗ୍ରାମକୁ ମଙ୍ଗଳବାର ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଗସ୍ତ କରି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ବୁଝିଛନ୍ତି । ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ତାଲାସିଂ ଗ୍ରାମରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଗ୍ରାମର ଚାରିପାଖ ଗଛଲତା ଓ ବନଜଙ୍ଗଲରେ ପରିପୂର୍ଣ୍ଣ । ତେବେ ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା, ପାନୀୟ ଜଳ ଓ ବିଜୁଳି । ବିଧାୟକ ଗ୍ରାମରେ ପହଞ୍ଚି ମୁଖ୍ୟ ରାସ୍ତା ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ପାଣି ସମସ୍ୟାର ସମାଧାନ ପାଇଁ ନିଜ ବିଧାୟକ ପାଣ୍ଠିରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗ୍ରାମର ରାସ୍ତା ସମସ୍ୟାର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ସେ ଆଶ୍ୱାସନ ଦେଇଥିଲେ । ପରିବେଶ ସୁରକ୍ଷା ଉପରେ ମଧ୍ୟ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ଗ୍ରାମବାସୀଙ୍କୁ ଗଛ ଯୋଗାଇଦେବା ସହ ସେଗୁଡ଼ିକୁ ବନାଞ୍ଚଳରେ ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନରେ ମାଟି ଧସିବା ଭଳି ସମସ୍ୟାକୁ ରୋକିବାରେ ସହାୟତା ମିଳିବ ବୋଲି ସେ କହିଥିଲେ । ଏହି ଅବସରରେ ଗ୍ରାମର ସମିତି ସଭ୍ୟ ବୁଲୁ ରଇତ, କପିଲ, ସିୟୋଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ ।