ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଞ୍ଚାୟତ ରାଜନୀତି ରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି , ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ଙ୍କ ପଦଚ୍ୟୁତ ପରେ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନାଏବ ସରପଞ୍ଚ ଦୀପକ ପ୍ରଧାନ । ସୂଚନାଯୋଗ୍ୟ ଯେ, ସରପଞ୍ଚ ଚନ୍ଦ୍ରିକା ମଲ୍ଲିକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଅନାସ୍ଥା ପ୍ରସ୍ତାବ ଅଣାଯାଇ ଥିଲା l ଚଳିତ ଅଗଷ୍ଟ ମାସ ୧୪ରେ ଦାରିଙ୍ଗବାଡି ପଞ୍ଚାୟତ ସଭାଗୃହଠାରେ ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁପ୍ତ ମତଦାନ ହୋଇଥିଲା l ଯାହାକି ଚନ୍ଦ୍ରିକାଙ୍କ ବିପକ୍ଷରେ ୧୫ଟି ମତଦାନ ହୋଇଥିବା ବେଳେ ନିଜ ମତଦାନ ସହ ସପକ୍ଷରେ ମାତ୍ର ୫ ଟି ମତଦାନ ଚନ୍ଦ୍ରିକାଙ୍କୁ ମିଳିଥିଲା l ଅନ୍ୟ ୨ ୱାର୍ଡ ସଭ୍ୟ ଅନୁପସ୍ଥିତ ରହିଥିଲେ । ଏହି ରିପୋର୍ଟ ଆଧାରରେ କନ୍ଧମାଳ ଜିଲାପାଳ ୧୯ ତାରିଖରେ ଚନ୍ଦ୍ରିକା ମଲିକଙ୍କୁ ସରପଞ୍ଚ ପଦବୀରୁ ପଦାଚ୍ୟୁତ କରିବା ସହ ନାଏବ ସରପଞ୍ଚ ଦୀପକ ପ୍ରଧାନଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିବାକୁ ଚିଠିରେ ନିର୍ଦ୍ଦେଶ ରହିଥିଲା । ନିର୍ଦେଶ କ୍ରମେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଦୀପକ ପ୍ରଧାନ I ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି l ସମର୍ଥକମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଦାୟିତ୍ୱ ନେବା ପରେ ଦାରିଙ୍ଗବାଡି ଅଞ୍ଚଳ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ପ୍ରତିଶ୍ରୁତି ବଦ୍ଧ ଥିବା କହିଛନ୍ତି ।