ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୁଳି ପଞ୍ଚାୟତର ସିଞ୍ଜାକୁଟି ଗ୍ରାମରେ ୨୫ ପରିବାରରୁ ୧୨୦ରୁ ଉର୍ଦ୍ଧ୍ବ ଲୋକ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି । ହେଲେ ଉକ୍ତ ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଗମନା ଗମନରେ ଅନେକ ଅସୁବିଧାର ସମ୍ମଖୀନ ହେଇଥିବା ଅଭିଯୋଗ ହେଉଛି l ବର୍ଷା ଦିନେ ଅଟୋ କିମ୍ବା ବାଇକ ଟିଏ ମଧ୍ୟ ସେହି ଗ୍ରାମକୁ ପହଞ୍ଚି ପାରୁନ ଥିବାରୁ ଅନେକ ସମୟରେ ଜରୁରୀ କାଳୀନ ପରିସ୍ଥିତିରେ ଲୋକେ ୬କିମି ପାଦରେ ଚାଲି ଚାଲି ଯିବା ପରେ ଅଟୋ କିମ୍ୱା ବସର ସୁବିଧା ପାଇଥାନ୍ତି । ଅନ୍ୟ ପଟେ ନେଟୱାର୍କ ସୁବିଧା ନଥିବାରୁ ଅନଲାଇନ ପାଠ ପଢ଼ାରୁ ଛାତ୍ରଛାତ୍ରୀ ବଞ୍ଚିତ ଥିବା ବେଳେ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସକୁ ଯୋଗା ଯୋଗ କରିପାରୁ ନଥିବା ଅଭିଯୋଗ ହେଉଛି । ଜରୁରୀ ପରିସ୍ଥିତିରେ ପ୍ରାୟ ୧କିମି ଘାଟି ରାସ୍ତା ଉପରକୁ ଯାଇ ଫୋନ କରୁଥିବ ଗ୍ରାମବାସୀମାନେ କହିଛନ୍ତି l ଏହା ସହିତ ଉକ୍ତ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ କୋମଳ ମତି ଶିଶୁମାନେ ପ୍ରାକ୍ ଶିକ୍ଷାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି l ପ୍ରାୟ ୨ କିମି ଦୁର ତର୍ଗାବାଲି ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଥିବାରୁ କୋମଳମତି ଶିଶୁମାନେ ଜଙ୍ଗଲ ଘାଟି ରାସ୍ତା ଦେଇ ଅଙ୍ଗନୱାଡ଼ି କେନ୍ଦ୍ର ପହଞ୍ଚିବା ସମ୍ଭବ ହୋଇ ପାରୁ ନାହିଁ l ଅଙ୍ଗନୱାଡ଼ି କର୍ମୀ ଜଣକ ସୁଵିଧା ଅନୁସାରେ ଶୁଖିଲା ଖାଦ୍ୟ ପ୍ରଦାନ କରୁଥିବା ଜଣା ପଡ଼ିଛି l ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ମିଳିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି l ଟୀକା କରଣ କରିବା ପାଇଁ ଗର୍ଭବତୀ ମହିଳାଙ୍କୁ ୭ କିଲୋମିଟର ଦୂର ନାଗେଟି ଗ୍ରାମରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଖକୁ ଚାଲି ଚାଲି ଯିବାକୁ ପଡୁଛି । ଗୋଟିଏ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଖରା ବର୍ଷା ଓ ଶୀତ କାକରରେ ଉତ୍ତମ ସ୍ଵାସ୍ଥ୍ୟ ସେବା ପାଇବା କେତେ ଯେ କଷ୍ଟ ସାଧ୍ୟ ହୋଇ ପଡ଼ିଛି ତାହା ସହଜେ ଅନୁମାନ କରାଯାଇ ପାରେ । ଉକ୍ତ ଗ୍ରାମରେ ନେଟୱର୍କ ସେବା ଓ ଭଲ ରାସ୍ତା ଖଣ୍ଡେ ନଥିବାରୁ କିଛି ଦିନ ତଳେ ଦାନୀଏଲ ପାଟମାଝୀଙ୍କ ସ୍ତ୍ରୀ ହେମଲି ପାଟମାଝୀଙ୍କ ମୃତ୍ୟ ଘଟଣା ସମସ୍ତଙ୍କୁ ଜଣା ଅଛି । ପ୍ରତ୍ୟେକ ମନୁଷ୍ୟର ଜୀବନ ଅତି ମୂଲ୍ୟବାନ ତେଣୁ ସ୍ଵାସ୍ଥ୍ୟ ସେବାରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଏଥିପାଇଁ ସରକାର କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି l ହେଲେ ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ର କିଛି ଅଲଗା ଦେଖିବାକୁ ମିଳୁଛି । ଗୋଟିଏ ଗର୍ଭବତୀ ମହିଳାଙ୍କ ସହ ଗର୍ଭରେ ଥିବା ଶିଶୁର ଅକାଳ ମୃତ୍ୟୁ ଘଟିଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ରାଜ ନେତା ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ପହଞ୍ଚି ପ୍ରକୃତ କାରଣ ଜାଣିବା ଓ ତାହାର ନିରାକରଣ କରିବା ଦିଗରେ ଚିନ୍ତା କରୁ ନଥିବା ଏକ ଦୁଃର୍ଭାଗ୍ୟ ଜନକ ବିଷୟ ଅଟେ । ହେଲେ ଉକ୍ତ ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ଅଞ୍ଚଳରେ କାର୍ଯ୍ୟରତ ସମାଜ ସେବୀ ତଥା ନାରୀ ନେତ୍ରୀ ନମିତା ପରିଡ଼ା ଓ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର କନ୍ଧମାଳ ଜିଲ୍ଲା ସଂଯୋଜକ ବିକ୍ରମ ବସ୍ତରାୟ ସୋମବାର ଦିନ ଉକ୍ତ ଗ୍ରାମରେ ପହଞ୍ଚି ମୃତ ପରିବାରକୁ ସମବେଦନା ଜଣାଇବା ସହ ଗ୍ରାମବାସିଙ୍କ ସହ ଆଲୋଚନା କରି ଥିଲେ ଏବଂ ଗ୍ରାମର ମୌଳିକ ସମସ୍ୟା ଓ ମୃତା ହେମାଲିଙ୍କୁ ସାମଜିକ ନ୍ୟାୟ ପ୍ରଦାନ ଦିଗରେ ସରକାରଙ୍କୁ ତଥା ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନା କରିବେ ବୋଲି କହିଛନ୍ତି । ଅପର ପକ୍ଷେ ଆଗମୀ ଦିନରେ ଅନ୍ୟ ଗର୍ଭବତୀ ମହିଳା ଯେପରି ଅକାଳ ମୃତ୍ୟୁର ଶିକାର ନ ହୁଅନ୍ତି ଏଥି ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗ୍ରାମରେ ନେଟୱର୍କ ସେବା ପ୍ରଦାନ ଓ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।