ସେକ୍ସ ରାକେଟ୍‌ ଉପରେ ପୁଲିସ ଚଢ଼ାଉ, ୫ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ସହର ମଧ୍ୟରୁ ଭଞ୍ଜନଗର ପୁଲିସ ସେକ୍ସ ରାକେଟ ଠାବ କରିଛି ।  ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ । ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ପୁଲିସର ମୁଖ୍ୟ ଭୂମିକା ରହିଛି । ତେଣୁ ପୁଲିସ ବର୍ତ୍ତମାନ ଠାରୁ ବିଭିନ୍ନ ବେନିୟମ କାର୍ଯ୍ୟ ଉପରେ ଚଢ଼ାଉ ଜୋରଦାର୍‌ କରିଦେଇଛି । ଗତ ୧୫ ତାରିଖ ରାତିରେ ଏସ୍‌ଆଇ ସମୀର ସେଠୀ ଏବଂ ଅନ୍ୟ ପୁଲିସ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଭଞ୍ଜନଗର ଶଙ୍ଖ ସାହିର ଏକ ଘରେ ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଥିଲା । ଏହାପରେ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଘର ଉପରେ ଚଢ଼ାଉ କରି ଜଣେ ମଧ୍ୟସ୍ଥି ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିଲା । ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହାର ଉପସ୍ଥିତ ଥିଲେ । ସୂଚନା ଅନୁସାରେ, ଅଭିଯୁକ୍ତ ଅମର ଓରଫ ଗୀତା ନାୟକ ଅନ୍ୟାନ୍ୟ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ଅର୍ଥ ଲାଭ ପାଇଁ ଏହି ଅବୈଧ କାର୍ଯ୍ୟରେ ଲିପ୍ତ କରୁଥିଲେ । ଏହି ଘଟଣାରେ ପୁଲିସ ମୋଟ୍‌ ୫ ଜଣଙ୍କୁ ଗିରଫ କରିବା ସହ ଅବ୍ୟବହୃତ କଣ୍ଡୋମ, ମଦ ବୋତଲ ଏବଂ ୫ଟି ମୋବାଇଲ ଜବତ କରିଛି । ଏ ନେଇ କେଶନଂ ୩୨୬/୨୬ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି ।